Unknown

 

 

 

 

 

 

 

 

 

ମାନସୀ

କାହ୍ନୁଚରଣ ମହାନ୍ତି

 

୧୯୩୧ ସାଲରେ ମାନସୀ ଲେଖିଥିଲି । ମୋର ବଡ଼ଭାଇଙ୍କର ବଡ଼ ସଢ଼ୁ ଶ୍ରୀଯୁକ୍ତ ରାମଚନ୍ଦ୍ର ମହାପାତ୍ର ପାଣ୍ଡୁଲିପି ପଢ଼ି ମୁଗ୍‌ଧ ହୋଇଥିଲେ ଓ ସେହି ବର୍ଷ କବିତାଟିକୁ ଛପାଇ ଦେଇଥିଲେ । ଏହା ମୋର ପ୍ରଥମ ଏବଂ ଶେଷ କାବ୍ୟ । ଏହାକୁ ପଢ଼ି କେତେଜଣ ଅଭିଭାବକ କହିଲେ, କବି ଚିରକୁମାର ରହିବେ ପରା ! ମୋର ସ୍ନେହମୟୀ କ୍ଷେତ ଅପା, ଯେ ଆଜି ସ୍ୱର୍ଗରେ ଅଛନ୍ତି, ବହିଟିକୁ ପଢ଼ି ଋଷିପ୍ରତିମ ମୋର ଭିଣୋଇଁ କୁଳମଣି ଭାଇଙ୍କୁ କହିଲେ, ହଇହେ ଶୁଣିଲଣି, ଶୀଘ୍ର ପିଲାଟାର ହାତକୁ ଦିହାତ କରିଦେବା ଉଚିତ । ପଢ଼ ଏ ବହିଟି । ଭାଇଙ୍କୁ ଲେଖ ।

 

ବଡ଼ଭାଇ ଶ୍ରୀଯୁକ୍ତ ଗିରିଧାରୀ ମହାନ୍ତି ସେତେବେଳେ ବାଙ୍କିପୁର ପାଟଣାରେ କାମ କରୁଥାନ୍ତି । କୁଳମଣି ଭାଇ ମୋ ଅପାଙ୍କର ମନ୍ତବ୍ୟ ବଡ଼ଭାଇଙ୍କୁ ଜଣାଇଁଲେ କି ନାହିଁ ମୁଁ କହି ପାରିବି ନାହିଁ । ତେବେ ମୋ ଅଗ୍ରଜ ମୋ ହାତକ ଦିହାତ କରିବାକୁ ସମ୍ବନ୍ଧ ସ୍ଥିର କଲେ । ୧୯୩୨ ସାଲରେ ମୋର ହାତକ ଦିହାତ ହେଲା । ଯିଏ ମୋ ମନର ଉତ୍ତେଜନାର ସମଷ୍ଟି ଓ ଭଲମନ୍ଦର ଦ୍ୱନ୍ଦ୍ୱ ସ୍ୱପ୍ନମୟୀ ମାନସୀକୁ ବିଦାୟ ଦେଇ ମୋର ଘରଣୀ ହୋଇ ଆସିଲେ ତାଙ୍କୁ ଅନ୍ୟମାନେ ହେମନ୍ତକୁମାରୀର ପ୍ରଥମ ଦୁଇ ଅକ୍ଷର ହେମ ବୋଲି ଡାକନ୍ତି, କିନ୍ତୁ ମୁଁ ଡ଼ାକେ ଆମ ସମାଜର ସେହି ଚିରନ୍ତନ ନାମରେ, ହଇହେ ।

 

ମାନସୀ କବିତାଟି ପଢ଼ି ଦିନେ ସେ ପଚାରିଲେ, ହଇହେ, କିଏମ ସେ ? ମୁଁ ଉତ୍ତର ଦେଲି, ସେ ତ ଜଣେ ନୁହେଁ, ସେ ଅନେକ । ପଚାରିଲେ ପୁଣି, କହମ, ସେମାନେ କେଉଁଠି ଅଛନ୍ତି ? ହସିହସିକା ମୁଁ ଉତ୍ତର ଦେଲି, ସେମାନେ ମୋ ମନରେ ବସା ବାନ୍ଧିଥିଲେ, ଆସୁଥିଲେ, ଯାଉଥିଲେ । ଏବେ ସମସ୍ତେ ତମରିଠାରେ ଲୀନ ହୋଇଛନ୍ତି ।

 

ମୋର ତିରିଶି ବର୍ଷର ଘରଣୀ, ଛଅଟି ସନ୍ତାନଙ୍କର ଜନନୀ, ସୁଖଦୁଃଖର ସାଥୀ, ଯିଏ ମନର ମାନସୀକୁ ବିଦାୟ ଦେଇ ତାଆରି ସ୍ଥାନରେ ଦୃଢ଼ ଆସନ ପାତି ବସିଛନ୍ତି, ଯାହାଙ୍କୁ ଏବେ କେହି କେହି ହେମ ବୋଲି ଡାକିଲେ ବି ଅନେକ ମା, ବଡ଼ ମା, ଖୁଡ଼ୀ ଓ ଆଈ ବୋଲି ଡାକୁଛନ୍ତି, ଯାହାଙ୍କୁ ଅଣଆଈ ବୋଲି ଡାକିବାକୁ ନୂଆ ମଣିଷ ସଂସାରରେ କେବେଠୁଁ ଜନମ ଲଭି ସାରିଲେଣି, ସେହି ମୋର ହଇହେଙ୍କ ହାତରେ ମାନସୀକୁ ଅର୍ପଣ କରୁଛି ।

 

ହଁ, ଆମେ ବୁଢ଼ା ବୁଢ଼ୀ ହେଲୁଣି । ସମସ୍ତେ ଦିନେ ସେଇଆ ହେବେ । ନୂଆ ମଣିଷଙ୍କପାଇଁ ପୁରୁଣା ଦୁନିଆଁରେ ସ୍ଥାନ ଓ ଅଭିଜ୍ଞତା ଛାଡ଼ିଦେଇ ଯିବେ । କିନ୍ତୁ ଚରିଦିନପାଇଁ ବଞ୍ଚି ରହିଥିବ ତରୁଣ ମନର ସ୍ୱପ୍ନମୟୀ ମାନସୀ ଓ ଯୋଡ଼ିହେଲା ଜୀବନର ଅତି ପ୍ରିୟ ଅତି ସୋହାଗର ମନଥରା ସେହି ଚିରନ୍ତନ ଘେନାଘେନିର ମଧୁର ଧ୍ୱନି, ହଇହେ ଶୁଣିଲଣି–

 

ଜୟପୁର

କାହ୍ନୁ ଚରଣ

୬-୩-୬୨

 

•••

 

ମାନସୀ

 

କି ଗୀତ ଗାଇ ତୋଷିବି ପ୍ରାଣ

ମାନସେ ମୋର ମାନସୀ ଛବି,

ଯେଉଁ ଅମୃତ ଢାଳିଛି ସେତ

ଜାଳିଛି ମୋର ପିପାସା ପବି ।

ଧୈର୍ଯ୍ୟ ନାହିଁ ହୃଦୟ ମାନେ

ଯିବାକୁ ଇଚ୍ଛେ ତାହାରି ପାଶେ,

ତାହାରି ରୂପ-ମଦିରା ପାନେ

ପାଗଳ ହୋଇ ନାଚିବା ଆଶେ ।

ତାହାରି ଅଙ୍ଗ ସଙ୍ଗ ପାଇଁ

ଦେବାକୁ ତ୍ୱରା ଜୀବନ ବଳି,

ସୀତାର ରୂପେ ମୁଗ୍‌ଧ ହୋଇ

ଜୀବନ ଦେଲା ରାବଣ ବଳୀ ।

ନାହିଁ ଅସାଧ୍ୟ ଜଗତେ କିଛି

ରୂପସୀ ଯେବେ କଟାକ୍ଷ ହାଣେ,

ଜୀବନ ଦାନ ତୁଚ୍ଛ ନର

ନରକ ବରେ ପ୍ରଫୁଲ୍ଲ ପ୍ରାଣେ ।

ରୂପର ଶୋଭା ଶୂନ୍ୟ ଜଣା

ରୂପର ଛଟା ମାୟାର ଫନ୍ଦି,

ତଥାପି ସେଥି ତରୁଣ ମନ

ଇଚ୍ଛଇ ଆପେ ହୋଇବ ବନ୍ଦୀ ।

କିଏ ନ ଜାଣେ ରୂପସୀ ଅଙ୍ଗ

ଧୂଳିର ସନେ ମିଶିବ ହେଳେ,

କିଏ ନ ଜାଣେ ରୂପସୀ-ଶୋଭା,

ଶୂନ୍ୟେ ମିଶେ ସମୟ ହେଲେ ।

କାହିଁବା ନୁର କାହିଁବା ହେଲେନ୍‌

କାହିଁବା ରାଧା ଗୋପ ଛଇଳା,

ସମୟ ଭେଦି ଅତୀତେ ଚାହିଁ

ଦେଖିବ ସବୁ ମାୟାର ଖେଳା ।

ରୂପସୀ ରୂପ ନିହିତ ଚର୍ମେ

ଚର୍ମ ଯେବେ ନେବେରେ କାଢ଼ି,

କୁତ୍ସିତ ସେ ଅଙ୍ଗ ଦେଖି

ରୂପର ନିଶା ଯିବ ତ ଛାଡ଼ି ।

ଚର୍ମର ତ ଚରମ ଦଶା

ଭସ୍ମ ସାଥେ ହେବ ବିଲୀନ,

କିଏ ନ ଜାଣେ ଭସ୍ମରାଶି

ତୁଚ୍ଛ ସଦା ମୂଲ୍ୟହୀନ ।

ଜାଣେ ମୁଁ ସବୁ ଚିନ୍ତେ ସବୁ

ତଥାପି ଏ ମୋ ତରୁଣ ମତି,

ଦର୍ଶନକୁ ଚରଣେ ଠେଲି

ଅନୁସରଇ ମାନସୀ-ଗତି ।

ଷୋଡ଼ଶୀ ଯେବେ ରୂପସୀ ମୋର

ମାନସ ପଥେ ହୁଅଇ ଉଭା,

ଚକିତେ ଚକ୍ଷୁ ହୁଅଇ ଥିର

ଅଧୀରେ ଦେଖେ ତା ରୂପ ଶୋଭା ।

ମସ୍ତକେ ତା କବରୀ କଳା

ସୁବାସ ତୈଳେ ହୋଇଛି ବଂଧା,

ଆକାଶେ ନିନ୍ଦି ତାରକା ରାଜି

ଖଚିତ ମଲ୍ଲୀ ରଜନୀଗନ୍ଧା ।

ସିନ୍ଦୂର ବିନ୍ଦୁ ଦୀପ୍ତ ଭାଲେ

କବରୀ ମଧ୍ୟେ ଉଠଇ ଝଳି,

ତରୁଣ ଏ ମୋ କୋମଳ ପ୍ରାଣ

ନିମିଷେ ଦେଖି ଯାଏ ତରଳି ।

ନୟନେ ତାର କି ମଧୁ ଭରା

ନୟନେ ଯେତେ ପିଏ ମୁଁ ରସି,

ପିପାସା ବଢ଼େ ନ ହୁଏ ଶାନ୍ତ

ତାରାଣ ମନ ଉଠେ ଉଲ୍ଲସି ।

ତଳ କୁସୁମ ନାସା ସୁଷମ

ଗୋଲାପୀ ଗଣ୍ତ ରକ୍ତାଧର,

ମୁକ୍ତା ନିନ୍ଦି ରଦନ ପଂକ୍ତି

କମ୍ବୁ ଗ୍ରୀବା ଶୋଭା ଆଧାର ।

ପୃଥୁଳ ତାର କୋମଳ ଦେହେ

କିଏ ଢାଳିଛି କନକ ବାରି

ସବୁଜ ଝୀନ ବସନ ଭେବି

ଅଙ୍ଗ ଆପେ ହୁଅଇ ବାରି ।

ସବୁଜ ଶାଢ଼ୀ ସାଗର ସେ କି

ହୃଦେ ଟେକିଛି ଲହରୀ ଦୁଇ,

ପୁଷ୍ପହାରେ ଫେନିଳ ଗୁନ୍ଥା

ମଲ୍ଲୀ ମାଳତୀ କେତକୀ ଯୂଇ ।

ନୀଳ ପାହାଡ଼ ଦୁଇଟି ମଧ୍ୟେ

ପ୍ରତୀତ ହୁଏ ତଟିନୀ ଯଥା,

ନିତମ୍ବ ବେନି ଭେଦି ବସନ

ତରଙ୍ଗ ରଙ୍ଗେ ରଚିତ ତଥା ।

ଅଳତା ବୋଳା ଚରଣ ତାର

ରକ୍ତ କଇଁ ଧରିଛି ଆଭା,

ଗମନ କାଳେ କମଳ ଫୁଟେ

ତରୁଣ କବି ପରାଣ ଲୋଭା ।

ମରାଳ ନିନ୍ଦି ନବ ହିଲ୍ଲୋଳେ

ହଲାଇ ଅଙ୍ଗ ଚାଲେ ମାନସୀ,

ସବୁଜ ତାର ଶାଢ଼ୀର କାନି

ଧରଣୀ ବକ୍ଷ ଯାଏ ପରଶି ।

ଆଡ଼ ନୟନେ ମୁରୁକି ହସି

ଫୁଟାଇ ରେଖା ଚାରୁ କପୋଳେ,

ଫୁଲାଇ ନାସା ସରମରଙ୍ଗା

ଗଣ୍ତେ ଯେବେ ପୀରତି ଭୋଳେ ।

ବଙ୍କାଇ ତାର ଶୀର୍ଣ୍ଣ କଟି

ବାହୁ ତୋରଣେ କର ପଲ୍ଲବ,

ଲମ୍ବାଇ ହୃଦେ ତଳସ ଟେକି

ହଲାଇ ଧୀରେ ଘନ ନିତମ୍ବ ।

ଦେଖାଇ ସ୍ୱଳ୍ପ ନଗ୍ନ ପୃଷ୍ଠ

ଅତର୍କିତେ ଅନାଏଁ ଫେରି,

ସହସା ଯେହ୍ନେ ବିପଦଗ୍ରସ୍ତା

ଫେରାଏ ମୁଖ କବିରେ ହେରି ।

ମାତର ଏ ମୋ କବିର ପ୍ରାଣେ

କ୍ଷଣିକ ସେ ଯେ ଏଣୀ ଚାହାଣି,

ବିଦ୍ୟୁତର ଆଣେ ଚମକ

ନୀରବେ କେତେ ଯାଏ ବଖାଣି ।

ନୀରବ ଭାଷେ ଦମ୍ଭ ହୃଦୁ

ପଳାଏ କାହିଁ ଅତି ତରାସେ,

ତରୁଣ କବି ତରଳ ମତି

ଧାଏଁ ରୂପସୀ ମାନସୀ ଆଶେ ।

ରୂପ ମଦିରା ନେତ୍ର ଭରି

ପିଇଣ ହୁଏ ପାଗଳ ପରି,

ଉନ୍ମତ୍ତ ସେ ଛୁଟେ ତୁରିତେ

ଶୂନ୍ୟପଥ ତା ଅନୁସରି ।

ମିଶାଇ ଦେବି ଅଙ୍ଗେ ଅଙ୍ଗ

ହୃଦୟେ ହୃଦ ଦେବି ଜଡ଼ାଇ

ପରାଣେ ପ୍ରାଣ ଛନ୍ଦି ମୁଁ ଗୋ

ରୂପର ନିଶା ଦେବି ଛଡ଼ାଇ ।

ନୋହିଲେ ରଙ୍ଗ ଚରଣେ ପଡ଼ି

କରୁଣ ସ୍ୱରେ କହିବି କଥା,

ଚିର ଅଧୀନ ତୁମର ଦାସ

ମେଣ୍ଟାଅ ସଖି ପରାଣ ବ୍ୟଥା ।

କୁପିତା ହୋଇ ଚରଣେ ଯେବେ

ମାନସୀ ମୋତେ ଦେବ ଗୋ ଦଳି,

ପଣତ ଦେବି ଗଲଳାରେ ଭିଡ଼ି

ତାହାରି ଅର୍ଥେ ଜୀବନ ବଳି ।

ମାନସୀ ମୁଖ ନୟନେ ଦେଖି

ମରଣେ ଚିତ୍ତେ ଆଣିବି ଶାନ୍ତି,

ଭୁଲିବି ହୃଦ ଅନନ୍ତ ବ୍ୟଥା

ଭୁଲିବି କାମ ଦମନ ଭ୍ରାନ୍ତି ।

ଶାଶାଙ୍କ ଯେବେ ନୀଳ ଗଗନୁ

ବରଷେ ସୁଧା ଜୋଛନା ଭବେ,

ପ୍ରକୃତିର ଶ୍ୟାମଳ ଦେହେ

ଲାବଣ୍ୟ ଢେଉ ଖେଳେ ଗରବେ ।

ଗରବେ ମୋର ମାନସୀ ତହୁଁ

ଦ୍ୱିତଳ ପୃଷ୍ଠୁ ଆସେ ଓହ୍ଲାଇ,

କୁସୁମ ସାଜେ ସାଜଣ ଅଙ୍ଗ

ଆକାଶୀ ଶାଢୀ କାନି ହଲାଇ ।

ସଧୀରେ ଆସି ସରସୀ କୂଳେ

ବକୁଳ ମୂଳେ ହୁଅଇ ଠିଆ,

କି ଭାବି ମନେ ଆକାଶେ ଚାହେଁ

ତରୁଣ କବି ଫାଟଇ ହିଆ ।

କୋକିଳଜିଣା କଣ୍ଠ ତାର

ଉଠଇ ଯେବେ ମଧୁର ଗୀତି,

ଶୀତଳ ଶାନ୍ତ ସମୀର ବକ୍ଷେ

ଆରୋହି ଭ୍ରମେ ସାରା ପ୍ରକୃତି ।

ତରୁଣ କବି ପ୍ରଫୁଲ୍ଲ ମନେ

ନିରୋଳେ ପିଏ ସେ ସୁଧାରସ,

ଚକିତେ ଚାହେଁ ମାନସୀ ମୁଖେ

ଜୋଛନା ବୋଳା କେଡ଼େ ହରଷ ।

ଶିଖାଇ ଦିଅ ଗାଇବି ସଖି

ଚିବୁକ ଧରି କହିବି ତାର;

କୁସୁମ ସମ ଭାବିବି ଯେବେ

ପ୍ରେୟସୀ କୋପେ କରେ ପ୍ରହାର ।

ସେ ଯଦି ମୋତେ ନ କହି କଥା

କି ଅଭିମାନେ ଯିବ ଲେଉଟି,

ଶ୍ରୀଅଙ୍ଗ ଖସା ଛଡ଼ା କୁସୁମ

ଆଗ୍ରହେ ତଳୁ ନେବି ସାଉଁଟି ।

ହୃଦୟେ ରଖି ତା ଗତି ପଥୁ

ଆହରି ଧଳି ବୋଳିବି ଶିରେ,

ଶୀତଳ ସେତ ଚନ୍ଦନ ଜିଣି

ଲିଭିବ ପ୍ରାଣ-ଜ୍ୱାଳା ଅଚିରେ ।

କୋମଳ ତା’ର ଚରଣ ତଳେ

ଫୁଟିବ କାଳେ କୋମଳ ଘାସ,

ଡାକିବି ତ୍ୱରା ଆକୁଳ ପ୍ରାଣେ

ଆସ ମାନସି ଆସ ଗୋ ଆମ୍ଭ ।

ପତାଇ ଦେବି ହୃଦୟ ମୋର

କହିବି ସଖି ହୁଅ ପ୍ରସନ୍ନା,

ବକ୍ଷ ପରେ ଯାଅସି ଚାଲି

କଦାପି ସଖି ନ କର ମନା ।

ତିମିରାବୃତ ନିଶୀଥେ ଯେବେ

ବିଷାଦମୟୀ ପ୍ରକୃତି ରାଣୀ,

ସମୀର ଶ୍ୱାସେ ଲୋତକ ଛଳେ

ଶିଶିର ବିନ୍ଦୁ ନୟନେ ଆଣି,

ପ୍ରେମିକବର ଆକାଶ ମୁଖେ

ବ୍ୟଥିତ ଚିତ୍ତେ ରହଇ ଚାହିଁ,

କା ଆଶା ପୋଷି ଗବାକ୍ଷ ପଥେ

ମାନସୀ ଆହା ଥାଏ ଅନାଇଁ ?

ଦୀପର ଶିଖା ସମୀର ତାଳେ

ନାଟୁଆ ସେ କି ନାଚେ ହରଷେ,

ଗମ୍ଭୀର ମୂଖେ କି ଆନ ମନେ

ମାନସୀ ବସେ ଅତି ବିରସେ ।

ନୟନେ ଭରି ଲୋତକ ବାରି

କପାଳେ ନିହି ଶିଥିଳ କର,

ଫୁଲାଇ ନାସା ଦୁଃଖ ବିବଶା

କମ୍ପାଇ ଚାରୁ ରକତାଧର ।

ଦୀର୍ଘ ଶ୍ୱାସେ କେବେ ତା ହିଆ

ଅର୍ଦ୍ଧାବୃତ ହୁଏ କମ୍ପିତ,

ସମୀର ସ୍ୱରେ ଚମକି ଉଠେ

ନିରୀହା ଡରେ ହୁଏ ଚକିତ ।

ରୂପସୀ ନେତ୍ରେ ଲୋତକ ଜଳ

ତରୁଣ ମତି କରେ ପାଗଳ,

ରୁପସୀ ମୁଖେ ମଧୁର ହାସ

ଅନ୍ତରେ ଜାଳେ ପ୍ରଳୟାନଳ ।

ଭାଙ୍ଗିବି ଏ ଯେ ନିରୋଧ ଦ୍ୱାର

ପଶିବ ଘରେ ଉନ୍ମତ୍ତ ଯୁବା,

ମାନସୀ ନେତ୍ରୁ ପୋଛିବି ନୀର

କହିବି ସଖି, ଭାବନା କିବା ।

ସଜ କୁସୁମେ କି ଚିନ୍ତା କୀଟ

ଗୋପନେ ଆହା କାଟେ ପରାଣ,

ଜୀବନ ଦେଇ ନାଶିବି ତାରେ

କହ ମାନସୀ କହ ମୋ ରାଣ ।

ମଥାରେ ଧୀରେ ବୁଲାଇ କର

ଲଗାଇ ଗଣ୍ତେ ତୃଷ୍ପିତ ମୁଖ,

କହିବି ସଖି କି ଦୁଃଖ ଆଉ

ମିଳନେ ପରା ସରଗ ସୁଖ !

ସରମେ ଟାଣି ସୁଝୀନ ଶାଢ଼ୀ

ଥରିଲା ପାଦେ ଯିବ ସେ ଉଠି,

ଭଗନ ପ୍ରାଣେ ବିରସ କବି

ହତାଶେ ସିନା ଯିବ ଲେଉଟି ।

ଶିଶିର ସିକ୍ତ ଶ୍ୟାମଳ ଅଙ୍ଗ

ଶୀତଳ ଯେବେ ଶୋଭନ ଧରା,

ପ୍ରାତୀ ସୁନ୍ଦରୀ ସୁନୀଳ ଭାଲେ

ସିନ୍ଦୂର ବିନ୍ଦୁ ନାଇଛି ପରା !

କୋମଳ ରବି ରକ୍ତିମ ଛବି

ସରସୀ ବକ୍ଷେ ଉଠଇ ଭାସି,

ସୁନେଲୀ କର ପ୍ରସାର ସେ ଯେ

ଧରଣୀ ଅଙ୍ଗ ଦିଏ ଆଉଁସି ।

ଚପଲ ମତି ତରୁଣ ବାୟୁ

ଧାଏଁ ସରାଗେ କୁସୁମ ପାଶେ,

ପ୍ରକୃତି ତାର ପ୍ରଣୟିନୀ ଯେ

ପ୍ରକୃତି ଭରା ମଧୁର ହାସେ ।

ମାନସୀ ପ୍ରିୟା ସଜ ସମୀର

ସେବନେ ବୁଲେ କୁସୁମ ବନେ,

ମଧୁର ଠାଣି ଆନନ୍ଦ ଭରା

ଉଜ୍ଜ୍ୱଳ ଶୁଭ୍ର ଚାରୁ ଆନନେ ।

ବକୁଳ ଗଂଧେ ଦିଗ ମହକେ

ବାୟୁ ଲହରେ ପଡ଼ଇ ଝରି,

ତାରକା ସମ କୁସୁମ ରାଜି

ଦୋଳିତ ମୁକ୍ତ କଳା କବରୀ ।

ଗୋଲାପୀ ଶାଢ଼ୀ ଖସାଇ ଦେହୁ

ପବନ ସେ ଗୋ ବଡ଼ ରସିକ,

ଗୋଲାପ ମଲ୍ଲୀ କାମିନୀ ଦେହେ

ଗୁଡ଼ାଇ ଧାଏଁ ଚିର ପ୍ରେମିକ ।

ସରମେ ଭୀତି ମରମେ ଆଣି

କର ପଲ୍ଲବ ଛନ୍ଦି ହୃଦୟେ,

ଆସିଲା କେ କି ଦେଖିଲା ଅବା

ଆକୁଳେ ଚାହେଁ ଚୌଦିଗେ ଭୟେ ।

ମାଳତୀ କୁଞ୍ଜୁ ମଧୁରେ ଡାକେ

କୋକିଳ ତୁମେ କିଏ ଗୋ ସଖି ?

ବୁଲାଏ ମୁଣ୍ତ ଦୋଳାଏ କେଶ

କଣ୍ଟକ ଡାଳେ ଯାଏ ତା ଲାଖି ।

ବନ୍ଦୀ ଏବେ ମାନସୀ ମୋର

ଛନ୍ଦ ପଦେ ମାଳତୀ ଲତା,

କମଳ ମୁଖେ ତୁମଇ ଅଳି

କର୍ଣ୍ଣେ କହେ ପୀରତି କଥା ।

ପ୍ରେୟସୀ ପରେ ଅତ୍ୟାଚାର

ସହିବ କିଏ ଯୁବକ ଛାତି,

ପ୍ରୟାରେ ତୁମେ ମକ୍ଷି ଛାର

ପାଗଳ ପ୍ରାଣ ଉଠରେ ମାତି ।

ଅଳି ବେଶରେ ଯିବି ମୁଁ ଥରେ

ଚୁମିବି ତାର ତୋରା ଲପନ

ପବନ ସନେ ମିଶିବି ଅବା

ବୋଳିବି ଦେହେ ଧୂଳି ଚନ୍ଦନ ।

ଲତିକା ହୋଇ ଆଣ୍ଟେ ଭିଡ଼ି

ଅଙ୍ଗ ତାର ନ ଦେବି ଛାଡ଼ି,

କୁସୁମ ହୋଇ ବୃନ୍ତୁ ଅବା ।

ବକ୍ଷପରେ ପଡ଼ିବ ଝଡ଼ି ।

ସରସୀ ତୀରେ ମାନସୀ ପ୍ରିୟା

ପିନ୍ଧି ସିତ ଝୀନ ବସନ,

ହେମ କଳସୀ କଟୀରେ ଧରି

ହୋଇଛି ଉଭା ସାରି ସ୍ନାହାନ ।

କପାଳେ କେତେ ସଲୀଳ କଣା

ମୁକ୍ତା ସମ ଝଳେ କିରଣେ,

ଆର୍ଦ୍ର ବାସୁ ଝରଇ ଜଳ

ପଖାଳିଯାଏ ରଙ୍ଗା ଚରଣେ ।

ଆର୍ଦ୍ର ବାସ ଜଡ଼ିତ ଦେହେ

ନଗ୍ନ ଶୋଭା ଉଠେ ଝଲସି,

ତରୁଣ କବି ଅଧୀର ପ୍ରାଣେ

ରୂପର ମଧୁ ଯାଏ ବରଷି ।

ତରଙ୍ଗ ମାଳ ସରସୀ ବକ୍ଷୁ

ଧାଏଁ ସଘନେ ରୂପସୀ ଆଶେ,

କୂଳରେ ସେ କି ହତାଶ ପ୍ରାଣେ

କୋଡ଼ଇ ମଥା ଅତି ତରାସେ ।

ପାହାଚ ପରେ ପାହାଚ ଉଠି

କୋମଳ ଦେହା ଚାଲେ ଦୋହଲି,

କୁଟୀଳ ପଥେ ସବୁଜ କୁଂଜେ

କୁସୁମ ପରେ ପଡ଼ଇ ଢଳି ।

ପ୍ରିୟ ଗୋବତ୍ସ ସ୍ନେହ ପାଳିତ

ଲେହନେ ଅଙ୍ଗ ଗୋଡ଼ାଏ ପଛ,

ବସନ ମୁଖେ ସେନେହେ ଟାଣି

ହେ-ଏ-ମ ବୋଲି ହଲାଏ ପୁଚ୍ଛ ।

ଆଦରେ କୋପେ ଅନାଇଁ କରେ

ବସନ ଧରେ ସରମେ ଟାଣି,

ଶାରିକା ପୋଷା ଅଧର ଖୁମ୍ପେ

ପକ୍ୱ ସତେ ବିମ୍ବ ଜାଣି ।

ଯେତେ ରୂପରେ ଦେଖିଛି ସଖି

ଲାଖିଛ କବି ଉତଳା ମନେ,

ନୀରୋଳେ କେବେ ଭାବନା ସନେ

ନିଦ୍ରା କୋଳେ ଆସ ସପନେ ।

ଭାବନା ରଥେ ସପନ ପଥେ

ତୁମରି ପ୍ରେମ ମଧୁର ଧାରା,

ପିଇବି ବୋଲି ପାଗଳ ପରି

ଭ୍ରମିଛି ମୁଁ ତ ବିଶ୍ୱ ସାରା ।

ସାଗର ଜଳେ ଝାସିଛି କେବେ

ପଶିଛି ଭୀମ ଅନଳ କୁଣ୍ତେ,

ଆକାଶପରେ ଉଠିଛି ପୁଣି

ବଜ୍ର ମାଡ଼ ସହିଛି ମୁଣ୍ତେ ।

ତୁଙ୍ଗ ଗିରି ଶିଖରେ ବନ

ଗହନ ମଧ୍ୟେ ଭ୍ରମିଛି ଏକା,

ତୁମରି ପ୍ରେମ ଚାଖିବି ବୋଲି

ପାଇବି ବୋଲି ତୁମରି ଦେଖା ।

ନିଦାଘ ତପ୍ତ ସାହାରା ବୁଲି

ଖୋଜିଛି ଆଶା ମରୀଚିକା,

ତୁମରି ରୂପ ହୃଦୟେ ଧରି

ସନ୍ତରିଛି କେତେ ଚିଲିକା ।

ସେଦିନ ଆଜି ନାହିଁ ଗୋ ନାହିଁ

ସେଦିନ ଏବେ ସପନ ସମ,

ସମୟ ତାର ଅଭିନୟଟି

ଦେଖାଇ ମୋର ନାଶିଛି ଭ୍ରମ ।

ନୟନ ଆଗୁଁ ଅପସରିଛି

ମାୟା ପରଦା କୁହୁକ ବଳେ

ଯୁବତୀ ରୂପ ଅନ୍ତିମ ଦଶା

ଦେଖି ନୟନୁ ଲୋତକ ଗଳେ ।

କଳିକା ପୁଟି ହୁଏ କୁସୁମ

କୁସୁମ ପୁଣି ଲୋଟଇ ଧୂଳି,

କ୍ଷଣକ ପାଇଁ ସୋହାଗେ ମାତି

କ୍ଷଣକ ପାଇଁ ଅନ୍ତିମ ଭୁଲି ।

ବାସବ ଚାପ ସୌନ୍ଦର୍ଯ୍ୟ ଅବା

କନକଲତା ବିଦ୍ୟୁଝଟକ,

କ୍ଷଣକ ପାଇ ଆକାଶେ ଉଦି

ଭାବୁକ ଚକ୍ଷୁ କରେ ଅଟକ ।

କୋମଳ ଦୁର୍ବାଦଳ ଉପରେ

କାକର ଟୋପା ରତନ ହାର,

ତପନ କରେ ଝଲସି କ୍ଷଣେ

ବିଲୀନ ହେବା ବିଶ୍ୱ ବେଭାର ।

ଶରତ ଚାନ୍ଦ କମନ ପ୍ରଭା

ବସନ୍ତ ପିକ ମଧୁର ଗୀତି,

ନୁହଇ ଚିର ପରିବର୍ତ୍ତିତ

ଜଗତେ ଏହା ମହତି ରାତି ।

କି ରୂପ ଆଜି ଧରିଛ ସଖି

କାହିଁ ଗୋ ତବ ସୌନ୍ଦର୍ଯ୍ୟ ଛଟା,

ଶୁଷ୍କ ନେତ୍ର କୋଟରାଗତ

କୃଷ୍ଣ କେଶ ହୋଇଛି ଜଟା ।

ଶ୍ରୀଅଙ୍ଗେ ତବ ଲୋଳିତ ଚର୍ମ

ଗମନ କାଳେ ଥରଇ ଦେହ,

ରୋଗଭୂ ଯେଣୁ ରୋଗରେ ଭରା

ଜୀବନ ଭାର ଲାଗେ ଦୁର୍ବହ ।

ଯାହାର ଦିନେ କଟାକ୍ଷ ବାଣ

ତରୁଣ ପ୍ରାଣ ଭେଦିଲା ଶତ,

ସେ ଆଜି କିଆଁ ଭୂମି ଶାୟିନୀ

ସେ ଆଜି କିଆଁ ଏଡ଼େ ବିବ୍ରତ !

ନ ଦେଖେ ଯୁବା ଆଡ଼ ନୟନେ

ଦେଖିଲେ ଚକ୍ଷୁ ଫେରାଏ ତ୍ୱରା,

ଯୁବତୀ ରୂପ ଯୁବକ ମନ

ତରଳ ସଦା ସଲୀଳ ପରା !

କେ ଆଜି ମୋର ଅନ୍ତରେ କହେ

ଯୌବନ ଯଦି କ୍ଷଣିକ ସଖା,

କ୍ଷଣକ ପରେ ମିଳାଏ ଯେବେ

ଜୀବନେ ଆଉ ନ ଦିଏ ଦେଖା,

ତେବେ ଗୋ କିଆଁ ଶୁଷ୍କ ମୁଖେ

ନୀରୋଳେ ବସି କାଟ ସମୟ,

କ୍ଷଣକ ତବ ଜୀବନ ଯୁବା

ନ କର କେବେ ଜଞ୍ଜାଳମୟ ।

ଶୁଖିଲେ ଫୁଲ ସୁଷମା ତା’ର

ମିଳାଏ ଖର ତପନ କରେ,

କାହିଁକି ତବ ତରୁଣ ପ୍ରାଣ

ତା ଦଶା ଦେଖି ନୀରବେ ଥରେ ?

ସୌନ୍ଦର୍ଯ୍ୟ ମଧୁ ପରାଣ ଭରି

ପିଅ ଗୋ ପିଇ ହୁଅ ପାଗଳ

ତଥାପି ପ୍ରାଣେ ଅନନ୍ତ ତୃଷା

ଜଗାଇ ପିଅ ରୂପ ଗରଳ ।

ରମଣୀ ରୂପ-ଅନଳ ଲାଗି

ପରାଣ ତବ ଯାଉ ଗୋ ଜଳି,

ରୂପସୀ ରୂପ-ଗରଳ ପାନେ

ଦିଅ ଗୋ ପଛେ ଜୀବନ ବଳି ।

ଜୀବନ ସତ୍ୟ ଯିବ ଗୋ ଦିନେ

ଯୌବନ ଦିନେ ଯିବ ମଉଳି,

ସମୟ ଥାଉଁ ମାତ ଗୋ ପ୍ରେମେ

ନ ମିଶୁଁ ଦେହ ପଥର ଧୂଳି ।

ଭୂଳିବି ନାହିଁ ମନ୍ତରେ ତବ

ଅନ୍ତରଗତ ଦେବତା ମମ

ରୂପସୀ ବ୍ୟଥା ରୂପର ଛଟା

ମିଳାଏ ପ୍ରାତଃ ଶିଶିର ସମ ।

ବରିବି ତାରେ ଯତନ କରି

ଯା ରୂପ ନିତି ନିତି ନୂତନ,

ନୁହେ ସ୍ଥବିର ନୁହେ ଯେ ଶିଶୁ

ସତତ ଯାର ସ୍ଥିର ଯୌବନ ।

ଜଗତେ ଯାର ଜୀବନ ଚିର

ରୂପସୀ ରାଜ୍ୟ ଭରା ଯା ଦେହେ,

ଅନନ୍ତ ସେହି ପ୍ରକୃତି ରାଣୀ

ପ୍ରେୟସୀ ରୂପେ ବରିବି ସ୍ନେହେ ।

ଚିର ସୁନ୍ଦର ଚିର ମଧୁର

ଚିର ପ୍ରଫୁଲ୍ଲ ସଙ୍ଗୀତମୟୀ,

ନଗ୍ନ ଶାନ୍ତ ସରଳ ସେ ଗୋ

ବିଶ୍ୱ ପ୍ରେମେ ଭରା ତା ଦେହୀ ।

ପୁନେଇଁ ଇନ୍ଦୁ ଅମଳ ମୁଖେ

ପ୍ରତିଫଳିତ ଯା ଚାରୁ ଆସ୍ୟ

କବରୀ ଯାର ବଉଦମାଳ

ବିଜୁଳି ଯାର ମଧୁର ହାସ୍ୟ ।

ତାରକା ଯାର ରତନ ହାର

ସାଗର ଶାଢ଼ୀ କଟୀ ବେଷ୍ଟିତ

ଆକାଶ ଯାର ଅନନ୍ତ ଗୃହ

ତରୁଣ କବି ଚିର ବାଞ୍ଛିତ ।

ତଟିନୀ ମୁଖେ ଗାଏ ଯେ ଗୀତ

ଶିଶିର ଛଳେ ତେଜେ ଲୋତକ

ତାହାରି ପ୍ରେମେ ମାତିବି ମୁଁ ଗୋ

ପରାଣେ ଭରି ନବ ପୁଲକ ।

ବିଶ୍ୱ ପ୍ରେୟସୀ ଅସୀମ ଦେହୁଁ

ନାରୀ ସୌନ୍ଦର୍ଯ୍ୟ ମାତର କଣା

କି ଶୋଭା ତା’ର ତରୁଣ କବି

ବର୍ଣ୍ଣିବ ତାରେ ଭାଷା ଅଜଣା ।

ରମଣୀ ପ୍ରେମ ଛଳନା ମାତ୍ର

ବିଶ୍ୱ ପ୍ରେମେ ନାହିଁ ତ ଭ୍ରାନ୍ତି

ପ୍ରକୃତି ପ୍ରେମେ ପାଗଳ ହୋଇ

ପରାଣେ ମୁଁ ଗୋ ଆଣିବି ଶାନ୍ତି ।

ଜୀବନେ ତାରେ ବରିବି ପୁଣି

ମରଣେ ହେବି ତା ଦେହେ ଲୀନ

ଅଛି କା ସାଧ୍ୟ ଜଗତେ ମୋତେ

ପ୍ରେୟସୀ ଠାରୁ କରିବ ଭିନ୍ନ ?

Image